ଭିଜିଗଲା କିଛି ସ୍ମୃତି, କିଛି ଅନୁଭୂତି,
ବର୍ଷ କିଛି ବୋହି ଗଲେ, ସମୟର ଚକ ତଳେ
ମୁହୂର୍ତ୍ତ କେତୋଟି ଚାପା ସ୍ଵରେ କିଛି ସ୍ଵଗତୋକ୍ତି କରି ପୁଣି ଚୁପ୍ ହେଇଗଲେ...
ଜନ୍ହ ତାର ଅପୂର୍ଣ୍ଣତା ଭୁଲି ଗଲା, ତାରା ମାନେ ବାଟ ବଣା ହେଲେ...
ଆକାଶ ଛାତିରୁ ବହିଗଲା ଅବିଶ୍ରାନ୍ତ ବାରି ଧାରା,
ନଈ ତୁଠ ପଥରରେ ଘସି ହୋଇ ଲିଭିଗଲା
ନବ ବଧୁଟିର ଗୋଇଠି ଅଳତା ର
ଶେଷ ରଙ୍ଗ ଆଭା,
କାହିଁ କେଉଁ ଦୂର ଦେଶେ ସଦ୍ୟ ବିବାହିତ
ସ୍ଵାମୀ ତାର ଛାଡି ଗଲା ତାକୁ, ମା ମାଟି ପାଇଁ
ଢାଳି ଦେଇ ଶେଷ ଲହୁ ତକ...
ଦେଶ ପାଇଁ ବଳିଦାନ ଦେଇ ଥିବା ପ୍ରିୟ ପାଇଁ
ଗୀତ ଗାଈ ଶୁଣାଏ ସେ ବର୍ଷା ର ଗଜଲ...
" वह रान्झनावे ,तेरे साँसों पे
थोड़ा सा वतन का हक भी था...
न देख मुझे यूँ ही मूड मूड के
तेरा मेरा साथ यहीं तक था...
यह तेरे जमीन तेरे खून से ही
सजती संवरती है रान्झे...
तेरी इश्क की मैं हकदार नहीं
तेरी हीर तो यह धरती रान्झे....
तेरी मिट्टी में मिल जावां,
गुल बन के मैं खील जावां,
इतनी सी है दिल की आरजू....
तेरी नदियों में बह जावां,
तेरी खेतों में लहरावां.....
इतनी सी है दिल की आरजू....
ପୁଣି କେଉଁ ଦୂର ଦିଗବଳୟ ତଳେ
ଦିକ୍ ଦିକ୍ ଜଳି ଯାଏ
ସଦ୍ୟ ଜାତ ଶିଶୁ ଟିର ଶେଷ ଚିତା
ଖାଲି କରି ଜନନୀ ର ପଣତ ଓ
ଶୂନ୍ୟ କରି ହୃଦୟ ସ୍ପନ୍ଦନ...
ଲିଭି ଯାଏ ମାତୃତ୍ୱ ର ଶିଖା
କାହିଁ ପୁଣି ଶ୍ରାବଣ ପୂର୍ଣ୍ଣିମା ଆସେ ଚୁପ୍ ଚାପ୍,
ନିଃଶବ୍ଦରେ ହୋଇ ଯାଏ ଛିଡା,
କହୁ ଥାଏ-ରାକ୍ଷୀ କିଆଁ କାନ୍ଦେ ଆଜି
ତା ଆଖିରେ ଲୁହ କେରା କେରା,
ମନେ ପଡେ ଶେଷ ସ୍ମୃତି ରାକ୍ଷୀ ବନ୍ଧା
ଆଜିକାର ରଙ୍ଗ ହୀନ ଶ୍ରାବଣ ପୂର୍ଣ୍ଣିମା...
ବର୍ଷା ହେ!
ଧୋଇ ଦିଅ ଏ ଧରାରୁ
ଯେତେ ଲୁହ, ଯେତେ ଦୁଃଖ,
ଯେତେ ସବୁ ଅପୂର୍ଣ୍ଣ ଅଭିପ୍ସା...
ବର୍ଷ ପରେ ବର୍ଷ ତମେ ଆସି ବସ
ମୋର ଏହି କ୍ଷୁଦ୍ର ଗବାକ୍ଷ ରେ ,
ଗାଇ ଯାଅ ଫିନିକ୍ସର ଶେଷ ଗୀତ,
ସେ ଗଜଲ, ପୁଣି କେଉଁ ପ୍ରତିଶ୍ରୁତି ନେଇ
ଉଜ୍ଜିବିତ କରିଦିଅ ମାତୃତ୍ୱ କୁ ପୁନର୍ବାର,
ରକ୍ଷା ବନ୍ଧନ କୁ ପୁନର୍ଜନ୍ମ ଦିଅ,
ରାନ୍ଝା କୁ ତା ହୀର ସହ ଏକାକାର କର,
ହେ ବର୍ଷା, ତମେ ପୁଣି ଫେରି ଆସ
କେଉଁ ଅଧା ଲେଖା ଗଜଲ କୁ ପୁରା
କରିବାର ପ୍ରତିଶ୍ରୁତି ନେଇ...ଏ ଜନ୍ମ,
ଆର ଜନ୍ମ କିମ୍ବା ଜନ୍ମ ଜନ୍ମାନ୍ତର ଡେଇଁ...