Wednesday, 8 October 2025

ଶେଷ ସଂଳାପ

ରଶ୍ମି ରଥି ଚାହିଁଲେ ଉପରେ 
ସୂର୍ଯ୍ୟ ଆଉ କେଶବଙ୍କୁ ପ୍ରଣାମ ଭଙ୍ଗୀରେ ...
ବିଦାୟ ଦିଅନ୍ତୁ ପିତା ମୋର ଏବେ 
ହେ କେଶବ ମେଲାଣି ବି ତୁମେ ଦିଅ ମୋତେ....

ଦିବସର ଶେଷ ରଶ୍ମି ମଥା ପୋତି
ଛିଡା ହୁଏ ନତ ମସ୍ତକରେ....
ନଇଁ ଗଲେ ସୂର୍ଯ୍ୟ ଚନ୍ଦ୍ର ଆଜି 
ଧରା ସରା ବୁଡି ଗଲେ ଅଶ୍ରୁ ପାରାବାରେ 

କୁରୁକ୍ଷେତ୍ର ସ୍ତବ୍ଧ ଆଜି 
ପବନର କୋହ ରୁଦ୍ଧ ଏଠି 
ଦୁର୍ଯ୍ୟୋଧନ ନୟନ ରୁ ବହି ଯାଏ 
ଶେଷ ଲୁହ କିଛି 
ଶେଷ ରକ୍ତ ବହିଯାଏ 
ତା ହୃଦୟ ରିକ୍ତ କରି ଧରିତ୍ରୀ ଭିଜାଇ 

ଶୋଇଗଲା ଐରାବତ ,ହିମାଳୟ ପରବତ 
ହୋଇ ଗଲା ଜୀବନରେ ଆଜି ରୁଣ ମୁକ୍ତ ...

ଗଛ ପତ୍ର ମୂକ ଆଜି 
ଯାଇଛି ତ ଗଙ୍ଗା ବକ୍ଷ ଶୁଖି 
ରାଧେୟ  ର ଶେଷ ସ୍ମୃତି 
ରାଧା ମା' ର ପଣତ ରେ ଲାଗି 

ନୀରବତା ନିସ୍ତବ୍ଧତା ଚତୁର୍ଦିଗ ଭରା 
କାନ୍ଦେ ଆଜି ଶଶା , ଗରା ,ଧରା ...

ନୀରବ ଏ ମୁହୂର୍ତ୍ତରେ ଉଭା ହେଲେ 
ଦାନ ବୀର ବାସୁଦେବ କୃଷ୍ଣ ଙ୍କ ସମ୍ମୁଖେ 

କହନ୍ତି କୌନ୍ତେୟ ଭରି ଆବେଗ ଆଶ୍ଳେଷ
ପ୍ରଭୁ ତୁମେ ଥାଉ ଥାଉ ଏକି ନ୍ୟାୟ କଲ 
ନିରସ୍ତ୍ର,ନିହତ୍ଥା କର୍ଣ୍ଣ କିମ୍ପା ତୁମେ ନ ଦେଖି ପାରିଲ
ଶିର ଚ୍ଛେଦ କରିବାକୁ ଧନଂଜୟେ ଅନୁମତି ଦେଲ 

 ତୁମେ  କିବା  ଅଜ୍ଞ ଥିଲ ଯୁଦ୍ଧ ର ନିୟମ 
ରଥାରୁଢ଼ କରିବନି ଭୂମିଷ୍ଠ ରେ ପରା ଶରାଘାତ 

ଅସହାୟ, ନିରସ୍ତ୍ର ରାଧେୟ 
ରଥ ଚକ ଧରାଶାୟୀ ଯାର
କରିଣ ନୀହତ ତାରେ 
ପ୍ରଭୂ ତମେ କିଆଁ ନେଲ ଅପଯଶ ...
ନିରସ୍ତ୍ର ଅଭାଗା କର୍ଣ୍ଣ  ଲଢୁଥିଲା  
ଜୀବନର ଶେଷ ଯୁଦ୍ଧ ତାର...

ମୃତ୍ୟୁ ମୋର ଚିର ସହଚର, 
କରିଛି ମୁଁ ଆଜୀବନ ପ୍ରତିକ୍ଷା ତାହାର 
ଯେମିତି ପ୍ରିୟା ର ପଥ ବସିଛି ମୁଁ ଚାହିଁ 
ତେଣୁ ମୃତ୍ୟୁ ତିଳେ ମତେ ଭୟ ଦେଇ ନାହିଁ..

ତଥାପି  ଗୋବିନ୍ଦ  ମତେ
ଏକ ଛୋଟ ଭେଟି ଦିଅ ଆଜି 
ଏ ଅକିଞ୍ଚନ ମୃତ୍ୟୁ ପଥେ ପାଥେୟ ରେ 
ଏ ପ୍ରଶ୍ନର ଉତ୍ତର ମାଗୁଛି...

କହନ୍ତି କେଶବ ଶୁଣ 
ଶେଷ ବାର୍ତ୍ତା ମୋର 
ହେ ଦାନବୀର, ରାଧେୟ,କୌନ୍ତେୟ 
 କୁରୁକ୍ଷେତ୍ରେ ତମ  ପ୍ରାପ୍ତି,  ନ୍ୟାୟ କି ଅନ୍ୟାୟ 

ମହା ବୀର, ମହା ଦାନୀ ଶ୍ରେଷ୍ଠ ସଖା ତୁମେ
କାଳେ କାଳେ ତମ ଯଶ ରହିବ ଧରାରେ 
ନିରସ୍ତ୍ର, ଭୂମିଷ୍ଠ ମୃତ୍ୟୁ ଲେଖାଥିଲା  ତୁମ ଭାଗ୍ୟେ 
ଅଭିଶାପ ମୁକ୍ତ ହୋଇ ଚାଲିଯିବ ତୁମେ ସ୍ଵର୍ଗଲୋକେ 

ମହାବାହୁ ତମେ କି ଅଜ୍ଞାନ 
ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଏହି ରଣାଙ୍ଗନ
ଏଠି ନାହିଁ ଭଲ ମନ୍ଦ ଭେଦ ଭାବ 
 କେହି ନୁହଁ ଶତୃ ମିତ୍ର ଭୂତ ଭବିଷ୍ୟତ 
ସତ୍ୟ ପଥେ ଯେତେ ବାଧା ସୃଷ୍ଟି ହୋଇଥିଲା 
ଏ ଯୁଗର ଅବସାନ,ଏ ଯୁଦ୍ଧ ରେ କେବଳ ହୋଇଲା 
ଅନ୍ୟାୟର ଦିଗବଳୟ କେଡେ ବିସ୍ତାରିତ 
ଅଧର୍ମ ବଳୟ ମଧ୍ୟେ ନ୍ୟାୟ ପାଇଁ ହସ୍ତ ପ୍ରସାରିତ 

ତମେ କଣ ମୂକ ପରି ଦେଖିନାହିଁ ଲାକ୍ଷା ଗୃହ 
ବିଷ ଲଡୁ ,ପଶାଖେଳ ସବୁଠି କପଟ 
ଇନ୍ଦ୍ରପ୍ରସ୍ଥ ପାଟରାଣି ଅପମାନ, ନିରୀହ ନିବସ୍ତ୍ର 
ଦୁଶ୍ଚରିତ୍ର ଦୁଃଶାସନ, କୁରୁସଭା ମୌନବ୍ରତ 

ଶାନ୍ତିଦୂତ ବନ୍ଦୀ ହୁଏ ଯେଉଁ କୁରୁ ସଭା ତଳେ 
ସଭିଏଁ ଯେଉଁଠି ମୁକ,ବେବସ ଲାଚାର 
ଭୀଷ୍ମ, ଦ୍ରୋଣ, ଧୃତରାଷ୍ଟ୍ର, ସବୁ ଗୁରୁଜନ 
ସେଠି ଶାନ୍ତି, ମୁକ୍ତି, ସତ୍ୟ, ନ୍ୟାୟ ଅସମ୍ଭବ 

ମୁଁ ନାରାୟଣ, ସୃଷ୍ଟି କର୍ତ୍ତା କେବଳ ମାତ୍ରକ
ଅନ୍ୟାୟର ଅନ୍ତ ଆଉ ସତ୍ଯ ର ରକ୍ଷକ 
ମୋର ନାହିଁ  ଏଠି କେହି ଶତୃ ଅବା ମିତ୍ର 
ଧରାରେ ଆସିଛି ସତ୍ୟ,ନ୍ୟାୟ ରକ୍ଷା ପାଇଁ ମାତ୍ର 

ହେ କୌନ୍ତେୟ, ସୂର୍ଯ୍ୟ ପୁତ୍ର ,ମହା ଦାନବୀର 
ଘେନ ଆଜି କେଶବ ର ଶେଷ ଅର୍ଘ୍ୟଦାନ 
ସ୍ଵର୍ଗର ପାଥେୟ ହେଉ ଧର୍ମ ସତ୍ୟ,ତ୍ୟାଗ ବଳି ଦାନ 
ରୁଣ ଭାର ହେଉ ରିକ୍ତ,ପ୍ରାପ୍ତ ହେଉ ବୈକୁଣ୍ଠର ଧାମ ....








No comments:

Post a Comment